500+ Words Biju Patnaik Biography in Odia for College and High School Students

ବିଜୁ ପଟ୍ଟନାୟକ :ଦୁର୍ଦ୍ଧର୍ଷ ପାଇଲଟ୍,ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଜାତୀୟସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ ବିଶେଷଣରେ ଚିହ୍ନିତ ଏହି ବିଖ୍ୟାତ ଜନନେତା ୫ ମାର୍ଚ୍ଚ ୧୯୧୬ରେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆଗାଁ । ସ୍କୁଲ୍ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ ମଧ୍ୟ ପାଇଲଟ୍ ହେବାର ଇଚ୍ଛା ଥିବାରୁ ରେଭେନ୍ସା ଛାଡ଼ି ସେ ବିମାନ ଚାଳନାରେ ତାଲିମ୍ ନେଇଥିଲେ । ସ୍ୱାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଂଚଳରେ ଭାରତୀୟ ସେନାଙ୍କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦେଶବାସୀଙ୍କ ପ୍ରିୟଭାଜନ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପରାମର୍ଶ କ୍ରମେ ନିଜ ଜୀବନକୁ ବିପନ୍ନ କରି ଇଣ୍ଡୋନେସିଆର ରାଜନେତାମାନଙ୍କୁ ଡଚ୍ ଶାସକମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇଆସିବା ପରେ ବିଜୁବାବୁ ପାଲଟି ଯାଇଥିଲେ ଜଣେ ତାରକା ପାଇଲଟ୍ । ଇଣ୍ଡୋନେସିଆ ତରଫରୁ ତାଙ୍କୁ ଦେଶର ସର୍ବୋଚ୍ଚ ଅଣସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା ।

୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ୍ ୧୪୦ରୁ ୮୨ଟି ଆସନ ଦଖଲ କଲା ଓ ବିଜୁବାବୁ ମାତ୍ର ୨ ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ବି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମିଗ୍ ବିମାନ କାରଖାନା, ସୈନିକ ସ୍କୁଲ୍, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲା ଇଞ୍ଜିନିୟରିଂ କଲେଜ୍ ଆଦି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଂପନ୍ନ ହୋଇଥିଲା ତାଙ୍କ ଶାସନ କାଳରେ ।

ତେବେ ୧୯୬୩ରୁ ୧୯୯୦ ଯାଏଁ ଦୀର୍ଘ ୨୭ ବର୍ଷ ଧରି ସେ ଉତ୍କଳ ରାଜନୈତିକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ । ସତୁରୀ ଦଶକରେ ମୋରାର୍ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଇସ୍ପାତ, ଖଣି ଓ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାହାରକୁ ଶକ୍ତ, ଦୃଢ଼ ଓ ଅହଂକାରୀ ଦିଶୁଥିବା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଥିଲା ଠିକ୍ ନଡ଼ିଆ ଭଳି ।

୧୭ ଏପ୍ରିଲ୍ ୧୯୯୭ରେ ଏହି ବହୁଚର୍ଚ୍ଚିତ ଜନନେତା ଦିଲ୍ଲୀଠାରେ ହୃଦଘାତ ପ୍ରାଣତ୍ୟାଗ କରିଥିଲେ ।

Leave a Comment

Your email address will not be published.