500+ Words Madhusudan Rao Biography in Odia for College and High School Students

ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ଲେଖକ । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ “ଉତ୍କଳ ସାହିତ୍ୟ ସମାଜ” ପ୍ରତିଷ୍ଠା କରିଥିଲେ ।

ମଧୁସୂଦନ ରାଓଙ୍କ ପୂର୍ବ ପୁରୁଷ ମହାରାଷ୍ଟ୍ରର ନାଗପୁରସ୍ଥ ଭୋନ୍ସଲା ରାଜପରିବାର ଥିଲେ । ଓଡ଼ିଶା ମରହଟ୍ଟାମାନଙ୍କର ଶାସନ ଅଧିନରେ ୧୭୫୧ରୁ ୧୮୦୩ ମସିହା ପର୍ଯ୍ୟନ୍ତ ରହିଥିଲା ।ଏହି ସମୟରେ ଅନେକ ଲୋକ ମହାରାଷ୍ଟ୍ରରୁ ଚାଲିଆସି ଓଡ଼ିଶାରେ ବସବାସ କରିବାରେ ଲାଗିଲେ । କିନ୍ତୁ ମରହଟ୍ଟାମାନଙ୍କୁ ୧୮୦୩ ମସିହାରେ ବ୍ରିଟିଶମାନେ ବିତାଡ଼ିତ କରି ଓଡ଼ିଶା ଶାସନ ଭାର ହାତକୁ ନେଲେ । ଫଳରେ ଅନେକ ମରହଟ୍ଟା ପରିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ।

ମଧୁସୂଦନ ରାଓ ଙ୍କର ପୁତ୍ର ଓ କନ୍ୟା ମିଶି ସାତଟି ସନ୍ତାନ ଥିଲେ । ସେମାନେ ହେଲେ ବାସନ୍ତି ଦେବୀ, ଡାକ୍ତର ଜୟନ୍ତୀ ରାଓ, ଅବନ୍ତୀ ଦେବୀ, ଶାନ୍ତି ଦେବୀ, ପ୍ରଶାନ୍ତ ରାଓ , ସାନ୍ତ୍ୱନା, ଓ ସୁକାନ୍ତ ରାଓ । ଜ୍ୟୋଷ୍ଠ କନ୍ୟା ବାସନ୍ତୀ ଦେବୀ ହେଉଛନ୍ତି ବଙ୍ଗଳାର ବିଶିଷ୍ଟ ଲେଖକ ତଥା ଓଡ଼ିଶାରେ ବିଶେଷ ସୁପରିଚିତ ବିଜୟ ଚନ୍ଦ୍ର ମଜୁମଦାରଙ୍କ ସ୍ତ୍ରୀ । ନାରୀ କବି ରେବା ରାୟ ହେଉଛନ୍ତି ମଧୁସୂଦନ ରାଓଙ୍କ କନିଷ୍ଠ ଭ୍ରାତା ଜଗନ୍ନାଥ ରାଓଙ୍କ କନ୍ୟା । ରେବାରାୟ ଯାଜପୁର କତରାପୁରର ସାଧୁଚରଣ ରାୟଙ୍କୁ ବିବାହ କରିଥିଲେ ।

କଟକରେ ଅଧ୍ୟୟନ କାଳରେ ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ହରିନାଥ ଭଟ୍ଟାଚାର୍ଯ୍ୟ ସେତେବେଳେ କଟକ କଲେଜରେ ଅଧ୍ୟାପକ ଥିଲେ । ତାଙ୍କରି ପ୍ରେରଣାରେ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିବା ଜଣାଯାଏ । ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ମଧୁସୂଦନ ଓ ପିଆରୀମୋହନ ଦୁହେଁ ଥିଲେ ପରମବନ୍ଧୁ । ଦୁହିଁଙ୍କର ଜୀବନାଦର୍ଶ ଏକ ପ୍ରକାର । ମଧୁସୂଦନ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ମାସିକ ପାଞ୍ଚଶହ ବେତନରେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ । ସେ ଭାରତୀୟ ଶିକ୍ଷାବିଭାଗରେ (Indian Service) ସ୍ଥାନ ପାଇଥିଲେ ।

ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା । ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣା । ତାଙ୍କ ରଚିତ ମଧୁ ବର୍ଣ୍ଣବୋଧ ଏକ ଉପାଦେୟ ବହି ଯାହା କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଅଛି । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ଡକାଯାଇଥାଏ । ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଏ । ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା । ଓଡ଼ିଆ ଭାଷାରେ ପ୍ରାୟ ସମସ୍ତ ପାଠ୍ୟ ପୁସ୍ତକ ରଚନା କରିଥିଲେ ।

ମୃତ୍ୟୁ ପୂର୍ବରୁ ସେ ନିଜର ମୃତ୍ୟୁ ସମୟ ପରିବାରର ଲୋକଙ୍କୁ ଜଣାଇଦେଇଥିଲେ । ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ସକାଳ ନ’ ଘଣ୍ଟା ସମୟରେ ମଧୁସୂଦନ ରାଓ ଇହଲୀଳା ସମ୍ବରଣ କଲେ । ମଧୁସୂଦନଙ୍କର ପରମବନ୍ଧୁ ପିଆରୀମୋହନ ଆଚାର୍ଯ୍ୟ ମଧ୍ୟ ୧୮୮୧ ମସିହାର ଏହି ୨୮ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ।

Reference from Wikiwand.com-

Leave a Comment