ସାଧାରଣତନ୍ତ୍ର ଦିବସ
ଉପକ୍ରମ : ଆମ ଭାରତବର୍ଷ ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ ସ୍ବାଧୀନତା ହାସଲ କରିଥିଲେ ହେଁ ସେତେବେଳ ପର୍ଯ୍ୟନ୍ତ ଆମ ଦେଶରେ ସମ୍ବିଧାନ ପ୍ରଣୟନ ହୋଇ ନଥିଲା କି ଆମ ଦେଶ ଇଂରେଜମାନଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ନଥିଲା । ଦେଶ ସ୍ବାଧୀନତା ପ୍ରାପ୍ତିପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ପରିଗଣିତ ହେଲା ।
ଏହି ଦିବସକୁ ସାଧାରଣତନ୍ତ୍ର ଦିବସ ବା ଜନରାଜ୍ୟ ଦିବସ ବା ଗଣତନ୍ତ୍ର ଦିବସ ଭାବରେ ନାମିତ କରାଯାଇଥାଏ । ଏଣୁ ଦେଶରେ ପାଳିତ ଜାତୀୟ ଉତ୍ସବମାନଙ୍କ ମଧ୍ୟରେ ଗଣତନ୍ତ୍ର ଦିବସ ଏକ ପ୍ରଧାନ ଦିବସ ରୂପେ ପାଳିତ ହୋଇ ଆସୁଛି । ଏଣୁ ପ୍ରତ୍ୟେକ ବର୍ଷର ଜାନୁଆରୀ ଛବିଶ ତାରିଖଟି ଏକ ପବିତ୍ର ଦିବସ ରୂପେ ସର୍ବଜନବିଦିତ ।
ଏହା ଭାରତର ଏକ ଜାତୀୟ ଦିବସ, ଯାହାକି ଭାରତର କୋଣେ କୋଣେ ମହାସମାରୋହରେ ପାଳନ କରାଯାଏ । – ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସର ଉପାଦେୟତା
ଗଣତନ୍ତ୍ର ଦିବସର ଉଦ୍ଦେଶ୍ୟ : ଭାରତର ସ୍ଵାଧୀନତା ପ୍ରାପ୍ତିପରେ ରାଷ୍ଟ୍ରନାୟକ ଡଃ. ଆମ୍ବେଦକର ସ୍ବାଧୀନ ରାଷ୍ଟ୍ରକୁ କେତେକ ନୀତି ନିୟମରେ ଚଳାଇବା ନିମନ୍ତେ ସମ୍ବିଧାନ ପ୍ରଣୟନ କରିଥିଲେ । ସେହି ପ୍ରଣିତ ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଥିଲା ।
ସେହିଦିନଠାରୁ ଭାରତ ଏକ ସାର୍ଭବୌମ ଗଣତନ୍ତ୍ର ରାଷ୍ଟ୍ରରୂପେ ପରିଚିତ ହେଲା । ଏହି ଦିବସର ସ୍ମାରକୀ ସ୍ବରୂପ ସେହିଦିନଠାରୁ ଅଦ୍ୟାବଧୂ ପ୍ରତ୍ୟେକ ବର୍ଷ ଏକ ଜାତୀୟ ଦିବସ ରୂପେ ପାଳିତ ହୋଇଆସୁଛି । ଏହି ପବିତ୍ର ଦିବସରେ ଦେଶବାସୀ ଜାତୀୟ ପତାକା ତଳେ ଦେଶ ଓ ଜାତିର ଉନ୍ନତି କଳ୍ପେ ଶପଥ ଗ୍ରହଣ କରିଥାନ୍ତି ।
ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ଆମେ ସବୁ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ଦେଶ ଓ ଜାତି ଉଦ୍ଦେଶ୍ୟରେ ଶପଥ ଗ୍ରହଣ କରି ଜାତୀୟ ପ୍ରେମରେ ଉଦ୍ବୁଦ୍ଧ ହୋଇଥାଉ । ଦେଶର ପ୍ରଗତି ଓ ଜନସାଧାରଣଙ୍କ ଉନ୍ନତି କଳ୍ପେ ସମୀକ୍ଷା କରିବାକୁ ଏହି ଦିବସ ସୁଯୋଗ ଦେଇଥାଏ ।
ଏହି ଦିବସରେ ରାଷ୍ଟ୍ରନାୟକମାନେ ଭବିଷ୍ୟତ ପାଇଁ ଦେଶର ଉନ୍ନତିକଳ୍ପେ ଯୋଜନା ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ରାଜନୈତିକ ସଭାମାନଙ୍କରେ ଅତୀତ କାର୍ଯ୍ୟର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥାଏ ।
ଉତ୍ସବ ପାଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ : ସାଧାରଣତନ୍ତ୍ର ଦିବସ ଏକ ମହାନ୍ ରାଷ୍ଟ୍ରୀୟ ପର୍ବ ଭାବରେ ପରିଗଣିତ ହୋଇପାରିଛି । ଭାରତର ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମସ୍ତ ଆବାଳ ବୃଦ୍ଧବନିତା ଏହି ଉତ୍ସବକୁ ଶ୍ରଦ୍ଧା ସହକାରେ ପାଳନ କରନ୍ତି । ବିଶେଷ ଭାବେ ରାଜଧାନୀ ଦିଲ୍ଲୀରେ ଏହା ମହାସମାରୋହରେ ପାଳନ କରାଯାଏ ।
ଦିଲ୍ଲୀର ଲାଲକିଲ୍ଲାଠାରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରି ସଭାମଞ୍ଚ ଉପରେ ଅବସ୍ଥାନ କରିଥାନ୍ତି । ଇଣ୍ଡିଆ ଗେଟ୍ଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଏକ ସୁସଜ୍ଜିତ ଗାଡ଼ିରେ ରାଷ୍ଟ୍ରପତିଙ୍କୁ ଶୋଭାଯାତ୍ରାରେ ନିଆଯାଏ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍ ଓ ସୈନ୍ୟବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ ।
ଅଭିବାଦନ ମଞ୍ଚ ନିକଟରେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ଉଚ୍ଚପଦାଧିକାରୀ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥାଆନ୍ତି । ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଜନା ଜ୍ଞାପନ
କରାଯାଇ ଏକବିଂଶ ତୋପ ଫୁଟାଇ ଅଭିବାଦନ ଜ୍ଞାପନ କରାଯାଇଥାଏ । ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରନ୍ତି । ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ଦୂରଦର୍ଶନ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ ।
ରାଷ୍ଟ୍ରପତି ବୀର ସୈନ୍ୟମାନଙ୍କୁ ବିଭିନ୍ନ ଉପାଧ୍ ଓ ଫଳକ ପ୍ରଦାନ କରି ସମ୍ମାନିତ କରିଥାନ୍ତି । ଜଳ, ସ୍ଥଳ ଓ ବିମାନ ବାହିନୀର ସୈନ୍ୟଗଣ ବିବିଧ ପୋଷାକ ପରିଧାନ ପୂର୍ବକ ଚିତ୍ତାକର୍ଷକ ପ୍ୟାରଡ଼ ପ୍ରଦର୍ଶନ କରିଥାନ୍ତି । ବିଭିନ୍ନ ରାଜ୍ୟରୁ ଆସିଥିବା ଗାଡ଼ିରେ ଜନସମାଜରେ ଲୋକନୃତ୍ୟ ପରିବେଷଣ କରାଯାଏ । ଏସବୁ ଦୃଷ୍ଟିରୁ ବିଚାର କଲେ ଦିଲ୍ଲୀ ଲାଲକିଲ୍ଲାରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦପ୍ରଦ ହୋଇଥାଏ । କେବଳ ରାଜଧାନୀ ଦିଲ୍ଲୀରେ କାହିଁକି, ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ ହୁଏ ।
ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରତ୍ୟୁଷରୁ ପ୍ରଭାତଫେରି, ପ୍ୟାରେଡ଼, ରାମଧୁନ୍, ଜନଗଣମନ ଜାତୀୟ ସଂଗୀତ ଗାନ, ଜାତୀୟପତାକା ଉତ୍ତୋଳନ, ଭାଷଣ ପ୍ରଦାନ ଓ ମିଷ୍ଟାନ୍ନ ଭୋଜନ ଇତ୍ୟାଦି ଶ୍ରଦ୍ଧା ସହକାରେ କରାଯାଇଥାଏ । କୃତି ଛାତ୍ର, ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥାଏ ।
ଏହି ଦିବସରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥାଏ । କେତେକ ସ୍ଥାନରେ ନୃତ୍ୟ, ଗୀତର ଆୟୋଜନ ପୂର୍ବକ ପାଲା, ଦାସକାଠିଆ, ଓଡ଼ିଶୀ ନୃତ୍ୟ, ଘୁମୁରା ନୃତ୍ୟର ଆୟୋଜନ କରାଯାଇଥାଏ ।
ଉପସଂହାର : ପ୍ରତ୍ୟେକ ଦେଶପରି ଆମ ଦେଶରେ ଗୋଟିଏ ସମ୍ବିଧାନ ରହିଛି । ସେହି ସମ୍ବିଧାନକୁ ମାନି ଚଳିବା ପାଇଁ ଦେଶବାସୀ ଏହି ଦିବସରେ ସଂକଳ୍ପବଦ୍ଧ ହୁଅନ୍ତି ।
ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି । ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରିପ୍ରେକ୍ଷୀରେ ବ୍ୟକ୍ତି ବିଶେଷ ଦେଶର ଜାତୀୟ ସଂହତି ଅକ୍ଷୁଣ୍ଣ ରଖିବାକୁ ସଦାଚେଷ୍ଟିତ ହୋଇଥାଆନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଦୁର୍ନୀତିକୁ ଦେଶରୁ ସମୂଳେ ନଷ୍ଟ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବା ଉଚିତ । ଦେଶରୁ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ନିମନ୍ତେ ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ ହେବା ଉଚିତ ।
ଦେଶରୁ ଦୋଷ ଦୁର୍ବଳତାକୁ ପ୍ରତିହତ କରି ଦେଶକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ । ବ୍ୟକ୍ତିର ଉନ୍ନତି ସହିତ ଦେଶର ଉନ୍ନତି ଦେଖିବା ପ୍ରତ୍ୟେକ ନାଗରିକର ଧେୟ ହେବା ଉଚିତ । ତାହାଦ୍ୱାରା ଦେଶର ତଥା ବ୍ୟକ୍ତିର ଉନ୍ନତି ସାଧୁ ହୋଇପାରିବ । ଦେଶର ପବିତ୍ର ଗଣତନ୍ତ୍ର ଦିବସରେ ଏଭଳି ଶପଥ ନେବା ସବୁ ନାଗରିକଙ୍କର କର୍ତ୍ତବ୍ୟ ।