ଶୀତ ଋତୁ |Winter Season Essay in Odia for School and College Student

ଉପକ୍ରମ : ସାଧାରଣ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ପୃଥିବୀର ବାର୍ଷିକ ପରିକ୍ରମଣ ଚାରିଗୋଟି ଋତୁ ସୃଷ୍ଟି କରେ । ଭୂଶାସ୍ତ୍ରବିତ୍‌ମାନେ ଏହି ଚାରିଗୋଟି ଋତୁକୁ ହିଁ ସ୍ୱୀକାର କରିଥାନ୍ତି । କିନ୍ତୁ ଭାରତୀୟମାନେ ପୃଥିବୀର ପରିକ୍ରମଣ ଭିଭିରେ ଋତୁ ଗଣନା କରନ୍ତି ନାହିଁ । 

ପୂର୍ବକାଳରୁ ଏହି ଭାରତୀୟମାନେ ବାହ୍ୟ ପ୍ରକୃତିର ସ୍ପର୍ଶ ଅନୁଭବ ଭିତ୍ତିରେ ଛଅଗୋଟି ଋତୁକୁ ଉପଭୋଗ କରିଥାନ୍ତି । ଯଥା, – ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ପ୍ରଭୃତି ଷଡ଼ଋତୁ । ଋତୁ କ୍ରମରେ ଶୀତଋତୁର ସ୍ଥାନ ପଞ୍ଚମରେ । ଏଥିରେ ନ ଥାଏ କୋକିଳର କୁହୁତାନ କି କନ୍ଦର୍ପ ଫୁଲଧନୁର ପଞ୍ଚବାଣ । ହିମ ଶୀତଳ ହେମନ୍ତକୁ ବିଦାୟ ଦେଇ ଧରାପୃଷ୍ଠରେ ଅବତରଣ କରେ ସୁଶୀତଳ ଶୀତକାଳ । 

ପ୍ରାୟତଃ ମାର୍ଗଶୀର ମାସ ପ୍ରାରମ୍ଭରୁ ମାଘମାସ ଶେଷ ପର୍ଯ୍ୟନ୍ତ ପୃଥିବୀରେ ଶୀତର ପ୍ରଭାବ ଅନୁଭୂତ ହୋଇଥାଏ । ଏହି ସମୟରେ ଟୋପାଟୋପା ଶିଶିରବିନ୍ଦୁ ଶିତ ପ୍ରଭାବରେ ଘନୀଭୂତ ହୋଇଥାଏ । ହିମାଦ୍ରିର ହିମ ଗହ୍ଵରରୁ ହିମପ୍ରବାହ ବାୟୁମଣ୍ଡଳକୁ ଅଧିକ ଶୀତଳ କରେ । ଏଣୁ ପ୍ରକୃତି ରାଜ୍ୟରେ ବିରାଟ ପରିବର୍ତ୍ତନ ଦେଖାଦେଇ ଲୋକମାନେ ଶୀତ ଅନୁଭବ କରନ୍ତି । 

ଶୀତକାଳୀନ ପ୍ରଭାତ : 

ଶୀତକାଳୀନ ପଲ୍ଲୀ ପ୍ରଭାତ ଏକାନ୍ତ ଶାନ୍ତ, ନୀରସ ଓ ଶିଶିର ସ୍ନାତ । ଶୀତକାଳର ରାତ୍ରି ଅପେକ୍ଷା ଦିବସ ଛୋଟ ହୁଏ । ଏଣୁ ପ୍ରାତଃକାଳୀନ ସୂର୍ଯ୍ୟୋଦୟ ବିଳମ୍ବିତ ହୁଏ । ବୃକ୍ଷଲତାର ପତ୍ରଗୁଡ଼ିକ କୁହୁଡ଼ି ଓ କାକର ସଂସ୍ପର୍ଶରେ ଆସି ପାଣ୍ଡୁରଶ୍ରୀ ଧାରଣ କରିଥାନ୍ତି । ଦୂର ଦିଗ୍‌ବଳୟ ଧୂଆଁଳିଆ ଦେଖାଯାଏ । ପ୍ରତ୍ୟୁଷରୁ ନିଦ୍ରାଭଙ୍ଗ ହେଲେ ଦୃଷ୍ଟିପଥରେ ପଡ଼େ ଶିଶିର ସିକ୍ତ ସୃଷ୍ଟି । ଗଗନ, ପବନ, ବୃକ୍ଷଲତା, ତୃଣ ଓ ଗୁଳ୍ମ ସମୂହ ଶିଶିର ଜଳରେ ସ୍ନାନ କଲାପରି ବୋଧଗମ୍ୟ ହେଉଥାନ୍ତି । ଏପରିକି ଦ୍ରୁମଲତାବଳୀର ସବୁଜ ପତ୍ର ସମ୍ଭାର ଶିଶିର ସ୍ନାନ କରି ସୁନ୍ଦର ଦେଖାଯାଉଥାନ୍ତି । ଦୁର୍ବାଦଳରେ ଠାଏ ଠାଏ ଶିଶିର ପାତର ଚେକା ଅତୀବ ସୁନ୍ଦର ଦେଖାଯାଉଥାଏ । ସବୁଜ ଦୁର୍ବାଦଳ ଉପରେ ଶୁଭ୍ର

ଶିଶିରବିନ୍ଦୁଗୁଡ଼ିକ ଇନ୍ଦ୍ର ନୀଳମଣି ବକ୍ଷରେ ମୁକ୍ତାଖଚିତ ହେଲାପରି ପ୍ରତୀୟମାନ ହେଉଥାନ୍ତି । ତା’ ଉପରେ ବାଳସୂର୍ଯ୍ୟଙ୍କ କିରଣ ପତି ମୁଭାସମାର ଉପରେ ସୁବର୍ଣ୍ଣର ଛଟା ସୃଷ୍ଟି କରେ । ପଲ୍ଲୀଦାଣ୍ଡରେ ବାଳସୂର୍ଯ୍ୟଙ୍କର କଅଁଳ କିରଣ ପାଇ କଅକ ବାଛୁରୀର ଡିଆକୁଦ ଗାଁର ଲଙ୍ଗଳା ପଶ୍ଚାତଧାବନ ଶିଶୁମାନଙ୍କ ମନରେ କୌଦୂହଳ ଜାତ କରିଥାଏ ।

ଶିଶୁ ମାନଙ୍କର ବାଛୁରୀର ପଶ୍ଚାତ୍ ଧାବନ କରିବାର ଦୃଶ୍ୟ ଶୀତ ସକାଳକୁ ବେଶ୍ ଉପଭୋଗ୍ୟ କରିଥାଏ । ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ପଲ୍ଲୀର ଲଙ୍ଗଳା ପିଲା, ଜରାଜୀର୍ଣ୍ଣ ବୃଦ୍ଧ, ବୃଦ୍ଧା ଦାଣ୍ଡ ମଝିରେ ବସି ଗାଁର ଅଳିଆ ଆବର୍ଜନାକୁ ଏକତ୍ରିତ କରି ଧୂନି ଢାଳି ଉପଭୋଗ କରନ୍ତି । 

ଉଷାକାଳରେ ପଲ୍ଲୀ ଛାତ୍ରଛାତ୍ରୀଗଣ ଦଳ ଦଳ ହୋଇ ଗାଁ ନିକଟବର୍ତ୍ତୀ ପାଠଶାଳାକୁ ଯିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ସେହିପରି ଗାଁର ବୟସ୍କ ଲୋକମାନେ ନିଜ ନିଜର ବରିକୁ ଯିବାପୂର୍ବରୁ ଗାଁ ଦାଣ୍ଡରେ ବସି ଗନ୍ଧାଳାପ କରିବା ସହିତ କଅଁଳ ଖରା ଉପଭୋଗ କରିଥାନ୍ତି । 

ହାଡ଼ଭଙ୍ଗା ଶୀତ କାକରକୁ ଖାତିରି ନକରି ପଲ୍ଲୀ ପ୍ରାଣଧନ କୃଷକ ପ୍ରତ୍ୟୁଷରୁ ଇଠି ଧାନବିଲରୁ ଶସ୍ୟକାଟି ଘରକୁ ବୋହି ଆଣନ୍ତି । ପ୍ରତ୍ୟୁଷରେ ପଲ୍ଲୀର ଦେବମନ୍ଦିର ଗୁଡ଼ିକରେ ମଙ୍ଗଳ ଆରତିରୁ ଶଙ୍ଖଧ୍ବନି, ଘଣ୍ଟଶବ୍ଦ ପଲ୍ଲୀ ପ୍ରାଣରେ ପବିତ୍ରତା କରିଦିଏ । ଧର୍ମପ୍ରାଣ ବୃଦ୍ଧା, କୁଳବଧୂ ଓ କୁଳକନ୍ୟା ତଥା ଧର୍ମାତ୍ମା ବ୍ୟକ୍ତିମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦେବଦର୍ଶନ ଓ ଆରତି ଦର୍ଶନାର୍ଥେ ମନ୍ଦିର ଉପକଣ୍ଠରେ ସମବେତ ହୋଇଥାନ୍ତି । 

ଶୀତକାଳୀନ ପଲ୍ଲୀ ଉଦ୍ୟାନଗୁଡ଼ିକ ଗେଣ୍ଡୁ, ତରାଟ, କେଳି, କୁସୁମ ଫୁଲମାନ ଫୁଟି ସୁନ୍ଦର ଦେଖାଯାଉଥାଏ । ଏପରିକି ଶିଶିର – ସକଳ ତରାଟ ଫୁଲଗୁଡ଼ିକର ଦୁଗ୍ଧ ଧବଳ ଦୃଶ୍ୟ ବାସ୍ତବିକ ବଡ଼ ମନୋମୁଗ୍ଧକର ହୋଇଥାଏ । ଫୁଲ ବଗିଚାରେ ରଙ୍ଗ ବେରଙ୍ଗର ପ୍ରଜାପତି ଉଡ଼ିବୁଲି ବିଭିନ୍ନ ଫୁଲରୁ ମଧୁ ସଂଗ୍ରହ କରିବା ଓ ସୋରିଷ କିଆରୀରେ ହଳଦୀରଙ୍ଗର ସୋରିଷ ଫୁଲ ନରମ ସୂର୍ଯ୍ୟରଶ୍ମି ପରଶରେ ସ୍ନିଗ୍ଧ ଓ ମଞ୍ଜୁଳ ପରିବେଶ ସୃଷ୍ଟି କରିଥାଏ । ଶୀତଋତୁରେ ବିଲବାଡ଼ିରେ ନାନା ପ୍ରକାର ଫସଲ ଲାଗିଥାଏ । ଆଳୁ, ମୂଳା, କୋବି, ବାଇଗଣ, ବିଳାତି ବାଇଗଣ, ବିରି, ମୁଗ, କୋଳଥ ଓ ସୋରିଷ ଆଦି ପ୍ରଧାନ । ଏହି ସମୟରେ ପ୍ରଚୁର ପନିପରିବାର ଚାଷ କରାଯାଇଥାଏ । 

ଶୀତଋତୁର ମଧ୍ୟାହ୍ନ ଓ ଅପରାହ୍ନର ଦୃଶ୍ୟ : 

ଶୀତକାଳୀନ ମଧ୍ୟାହ୍ନର ସୂର୍ଯ୍ୟକିରଣରେ ଗ୍ରୀଷ୍ମକାଳୀନ ଉତ୍ତାପ ଆଦୌ ନ ଥାଏ । କୃଷକ ଖରାକୁ ଖାତିରି ନ କରି ଆନନ୍ଦ ମନରେ ପରିଶ୍ରମ କରି କ୍ଷେତରେ ଉପୁଜାଇଥିବା ଫସଲକୁ କାଟିବାରେ ମଗ୍ନ ଥାଏ । ସେତେବେଳେ ସେ ଶ୍ରମଜନିତ କ୍ଳେଶକୁ ଉପଲବ୍ଧି କରିପାରେ ନାହିଁ । 

ଏପରିକି କୃଷକ ଘରଣୀ ମଧ୍ୟାହ୍ନ ଭୋଜନ କରି ଅତି ଶ୍ରଦ୍ଧାରେ ଶସ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବାମୀଙ୍କ ପାଇଁ ଆହାର ନେଇ ଯିବାର ଦୃଶ୍ୟ ସହଜଲବ୍ଧ । ଖରାଖୁଆ କଟାଧାନକୁ କଳେଇ ବାନ୍ଧି ସ୍ବାମୀ, ସ୍ତ୍ରୀ ଦୁହେଁ ସ୍ଵଗୃହକୁ ଆନନ୍ଦରେ ବୋହି ଆଣନ୍ତି । ଶୂନ୍ୟ ଖଳା ବାଡ଼ି ଧାନଗଦାରେ ହସିଉଠେ । 

ଫସଲ କଟା ପରେ ଗାଁ ଗଣ୍ଡାରେ ଗୋରୁ ଗାଈମାନଙ୍କୁ ପେଟପୂରା ଖାଦ୍ୟ ମିଳିବା ସଙ୍ଗେ ସଙ୍ଗେ ବର୍ଷାଘରମାନଙ୍କରେ ମଧ୍ୟ ଖାଦ୍ୟର ଅଭାବ ନ ଥାଏ । ଅପରାହ୍ନରେ ଗୋଠବାହୁଡ଼ାର ଦୃଶ୍ୟ ଅତୀବ ମନୋରମ ହୋଇଥାଏ । ପଲ୍ଲୀ ଶିଶୁମାନଙ୍କର ଦଳଦଳ ହୋଇ ବିଦ୍ୟାଳୟରୁ ଘରକୁ ଫେରିବାର ଦୃଶ୍ୟ ମଧ୍ୟ ମନୋମୁଗ୍ଧକର ହୋଇଥାଏ ।

ପଲ୍ଲୀରେ ଶୀତ ରଜନୀର ଦୃଶ୍ୟ : 

ଶୀତକାଳୀନ ରଜନୀରେ ପଲ୍ଲୀ ଭୂମି ନିସ୍ତବ୍ଧ । ସନ୍ଧ୍ୟାରୁ ଦେବମନ୍ଦିରର ସନ୍ଧ୍ୟା ଆରତି ସରିଯାଇଥାଏ । ଖୁବ୍ ଶୀଘ୍ର ଗାଁର ଲୋକମାନେ () ତାଙ୍କର ଖାଦ୍ୟପେୟ ସାରି ଶୀଘ୍ର ଶଯ୍ୟାଶାୟୀ ହୁଅନ୍ତି । ବୟସ୍କ ବ୍ୟକ୍ତିମାନେ ଗାଁ ଭାଗବତ ଟୁଙ୍ଗୀରୁ ଭାଗବତ ଶୁଣି ଅନ୍ଧାର ରାତ୍ରିରେ ନିଜ ନିଜର ଘରକୁ ଫେରନ୍ତି । 

ଶୀତକାଳର ଚନ୍ଦ୍ର ପାଣ୍ଡୁର ବର୍ଣ୍ଣ ଦେଖାଯାଆନ୍ତି । ତଥାପି ତାରକାମଣ୍ଡିତ କୃଷ୍ଣ ରଜନୀର ଅକାଶ ଅପେକ୍ଷାକୃତ ସୁନ୍ଦର ଦେଖାଯାଉଥାଏ । ଶ୍ରମକ୍ଲାନ୍ତ କୃଷକମାନେ ନିଜ ଦାଣ୍ଡପିଣ୍ଡାରେ ଚଟେଇ ଉପରେ ବସି ସାଙ୍ଗମେଳରେ ଭଜନ ଓ କୀର୍ତ୍ତନ କରିବାରେ ବ୍ୟସ୍ତ ଥାଆନ୍ତି । 

କେଉଁଠି କେଉଁଠି ଗାଁର ଯୁବକମାନେ ବସି ଆନନ୍ଦରେ ଗଞ୍ଜେଇପାନ କରୁଥାନ୍ତି । କେହି କେହି ଜହ୍ନ ଆଲୁଅରେ ନିଜ ଖଳାବାଡ଼ିରେ ଧାନ ଅମଳ କରିବାରେ ମଧ୍ୟ ବ୍ୟସ୍ତ ରହିଥାନ୍ତି । 

ଶୀତକାଳୀନ ପର୍ବପର୍ବାଣି : 

ଶୀତକାଳୀନ ପର୍ବପର୍ବାଣିଗୁଡ଼ିକ ଗ୍ରାମଭୂମିକୁ ଉନ୍ମାଦିତ ଓ ରସବନ୍ତ କରିଥାନ୍ତି । ନୂଆ ଫସଲର ପ୍ରାଚୁର୍ଯ୍ୟରେ ପଲ୍ଲୀ ଜନତା ପ୍ରାଣରେ ପୁଲକଜାତ ହୋଇଥାଏ । 

ସେଥ୍ପାଇଁ ପଲ୍ଲୀବାସୀ ଆନନ୍ଦ ସହକାରେ ବିଭିନ୍ନ ପିଠାପଣା ତିଆରି କରି ପର୍ବଗୁଡ଼ିକୁ ଆନନ୍ଦମୁଖର କରିଥାନ୍ତି । ଶୀତକାଳୀନ ପର୍ବମାନଙ୍କ ଭିତରେ ପ୍ରଥାମଷ୍ଟମୀ, ଶାମ୍ବଦଶମୀ, ଧନୁସଂକ୍ରାନ୍ତି, ମକରସଂକ୍ରାନ୍ତି ଆଦି ପ୍ରଧାନ । ଘରେ ଘରେ ନାନାଦିପ୍ରକାର ପିଠା, ପୁରି, ଖୁରି ଓ ଭୋଜି ଭାତରେ ଉଛୁଳିପଡ଼େ । କେହି କେହି ଉତ୍ସବ ଦିନମାନଙ୍କରେ ନବବସ୍ତ୍ର ପରିଧାନ କରି ପୂଜାଅର୍ଚ୍ଚନା କରିଥାନ୍ତି । ଏହି ସମୟରେ ପାଳନ କରାଯାଉଥିବା ସରସ୍ବତୀପୂଜା ପ୍ରଣିଧାନଯୋଗ୍ୟ । 

ଉପସଂହାର : 

ଶୀତଋତୁରେ ଉତ୍କଳର ପଲ୍ଲୀଜୀବନ ବେଶ୍ ଉପଭୋଗ୍ୟପରି ମନେହୁଏ । ହୁଏତ ସହରୀ ଜୀବନରେ ଶୀତକୁ ଉପଭୋଗ କରାଯାଇ ନ ପାରେ । ସହରୀ ଜୀବନ ପାଇଁ ଶୀତଋତୁ ଏକ ବିପଞ୍ଚ ଋତୁ ହେଲେ ହେଁ ପଲ୍ଲୀବାସୀଙ୍କ ପାଇଁ ଏହା ବେଶ୍ ଆରାମଦାୟକ । 

ସକଳ ପୂର୍ଣ୍ଣତା ଭିତରେ ଶୀତ ହିଁ ପଲ୍ଲୀବାସୀଙ୍କ ପାଇଁ ଏକାନ୍ତ ଉପଭୋଗ୍ୟ ଋତୁ । ପଲ୍ଲୀବାସୀ ଆର୍ଥିକ ଅସ୍ବଚ୍ଛଳତା ଭିତରେ ଶୀତର ପ୍ରକୋପକୁ ହୁଏତ ଅନେକ ସମୟରେ ସହ୍ୟ କରିପାରି ନ ଥାନ୍ତି । ତଥାପି ସେମାନଙ୍କ ପାଇଁ ଏହା ଯେ ପାର୍ଥିବ ବିଳାସ ଦିଗରୁ ଏକ ସଫଳ ଋତୁ ଏହାକୁ ଅସ୍ବୀକାର କରିହୁଏ ନାହିଁ । ଅନ୍ୟ କୌଣସି ଋତୁକୁ ଶୀତପରି ପ୍ରିୟଜନଭାବି ପଲ୍ଲୀବାସୀ ବିଦାୟ ଦେଇ ନ ଥାନ୍ତି । ଅନ୍ୟ ଋତୁମାନେ ମନକୁ ଆସି ଖେଳାଲୀଳା ସାରି ପୃଥିବୀ ବକ୍ଷରୁ ସ୍ଵତଃ ବିଦାୟ ନେଇଥାନ୍ତି । 

କିନ୍ତୁ ପଲ୍ଲୀବାସୀ ଶୀତଋତୁକୁ ବିଦାୟ ଦିଅନ୍ତୁ ଅଗ୍ନିଜଳାଇ । ସେମାନେ କହନ୍ତି,–‘ ଅଗ୍ନି ଜଳିଲା, ଶୀତ ଟଳିଲା ।’’ ବାସ୍ତବିକ୍ ଶୀତ ପ୍ରତି ପଲ୍ଲୀ ମନୁଷ୍ୟ ଖୁବ୍ ଆସକ୍ତ । ଶୀତର ସାରଲ୍ୟ ତଥା ସନ୍ତର୍ପଣ ଭାବ ପଲ୍ଲୀବାସୀଙ୍କ ସରଳ ଜୀବନକୁ ବିଶେଷ ପ୍ରଭାବିତ କରିଥାଏ । 

ଶୀତଋତୁ ଏକ ଆରାମଦାୟକ ତଥା ପ୍ରମୋଦର ଋତୁ । ଏହି ସମୟରେ ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ମଧ୍ୟରେ ମେଳାମଉଚ୍ଛବ ଓ ଭୋଜିଭାତର ଆୟୋଜନ କରାଯାଇଥାଏ । ଶୀତଋତୁରେ ଯାହା ଖାଇଲେ ତାହା ଶୀଘ୍ର ହଜମ ହୋଇଯାଏ । ଏଣୁ ଶୀତଋତୁର ପଲ୍ଲୀ ଜୀବନ ଅତ୍ୟନ୍ତ ଆରାମଦାୟକ, ଏଥିରେ ଦ୍ୱିଧାମତର କାରଣ ନାହିଁ ।

Leave a Comment

Your email address will not be published.